Wednesday, 5 June 2013

ମାମୁଁଘର, ମୁଁ ଆଉ ମୋ ଅଜା

ଜେମାଦେଈପୁର, ମୋ ମାମୁଁଘର ଗାଁ ନାଁ, ଆଖପାଖରେ ପାଟଣା କହିଲେ ବେଗି ବୁଝନ୍ତି | ବେଶୀ ଦୂର ହବ ନାହିଁ ମୋ ପୈତୃକ ଗାଁ ଠାରୁ | ହେଇ ହେଇକା ମାଇଲିଏ ରାସ୍ତା | ଅଭିନ୍ନ ସାହୁ ଗୁଡିଆ  ଦୋକାନ ଦେଇ ଯାଇଥିବା ରାସ୍ତା ପଟେ ଯାଇହବ, ଖସ୍କରା ବାଟ ଦେଇ ବି ବେଳେବେଳେ ଦୌଡି ଯାଉଥିଲି | ବିଲ ହିଡ ଉପରେ ଗଲେ ଟିକେ କମ୍ ସମୟ ଲାଗେ | ବହୁତ୍ ଛୋଟ ଥିଲାବେଳେ ଅଜା ଆସୁଥିଲେ ନବାକୁ, ବୋଉ ସହିତ ବାଈଧର ରିକ୍ସାରେ ବସି ଯାଇଥିବାର ମନେ ଅଛି | ପ୍ରାୟ ସମୟ ଚାଲି କି  ଯାଉଥିଲୁ | ଟିକେ ଦୂର ରୁ ବର ଗାଡିଆ କୁଳ ପାଖରେ ଥିବା  ମଂଗଳା ମଂଦିର ଦେଖାଯାଏ, ଯୋଉଠି ପବିତ୍ର ମାମୁଁ ମଝିରେ ମଝିରେ ଯାଇ  ଖରାବେଳେ ଶୋଇପଡନ୍ତି, ମୋତେ ବି ସଂଗରେ ନେଇଥିଲେ  କେତେଥର , ହେଲେ ପିଲାବେଳେ ମୁଁ ଖରାବେଳେ ଶୋଉନଥିଲି |  ମାମୁଁଘରକୁ ଗଲାବେଳେ ମୁଁ ଟିକେ ସେ ବର ଗାଡିଆ ବୁଲାଣି ପାଖରୁ ଗଂଧିଆ ଅଜା ଘର ଆଗ ବେଂଚ୍ ଉପରକୁ ଅନାଏ, କାଳେ ଗଂଧିଆ ଅଜା ବସିଥିବେ, ରସା ସ୍ଵାଈଁ ନାତି କହିକି ଦି' ଚାରି ପଦ କହିବେ ଆଉ ଠୋ' ଠୋ' ହସିବେ |

               ମାମୁଁଘର ନକ୍ସା ଏବେ ବହୁତ ବଦଳି ଗଲାଣି | ଆଗରୁ ଘର ଆଗରେ ଖିଲଣ ଥିଲା | କୋଣ ଘରଟା ଷ୍ଟୋର୍ ରୁମ୍ ଭଳି ଥିଲା, ତା'ର ଗୋଟେ ପଟରେ ହିଟର ରଖିଥିଲା ମା'ମା' (ମୋ ମା'ମା', ମାନେ ମୋ ବୋଉର ବୋଉ) | ଏବେ ଯୋଉଠି ଠାକୁର ଘର ଅଛି, ସେଇଠି ଦୁଆର ଥିଲା, ଆଉ ରୋଷେଈ ଘର ତା ପାଖକୁ | ଆଉ ବାରି ପଟେ ଗୁହାଳ ଆଉ ଢିଂକିଶାଳ ଥିଲା | ଆଉ ବାରିରେ ବରକୋଳି, ଆମ୍ବ, ଆତ, ପିଜୁଳି ସବୁ ଗଛ ଥିଲା, ଗଛ ସବୁ ଏବେ ବି ଅଛନ୍ତି ବୋଧେ |

             ଏ ତ ଥିଲା ମୋ ମାମୁଁଘର କଥା, କମ୍ ବେଶୀ ଯେତିକି ମୋର ମନେ ଅଛି, ଆଉ ମୋ ଅଜା?  ଅଜା ତାଂକ ଶେଷ ଦୁଇ-ତିନି ବର୍ଷ କାହାକୁ କିଛି କହୁ ନଥିଲେ, ସବୁବେଳେ ଖଟରେ ଶୋଈ ରହୁଥିଲେ | ତା'ର ତିନି-ଚାରି ବର୍ଷ  ପୂର୍ବ କଥା ମନେ ପକେଇଲେ, ମୋର ଅଜାଂକ ଚିଡିଚିଡା କଥା ମନେ ପଡି ଯାଏ | ସବୁବେଳେ ବଡ ଠେଂଗା ଗୋଟେ ଧରୁ ଥିଲେ ଆଉ ଯଦି କୁକୁର ଘର ଭିତରକୁ ପଶୁଥିଲା, କି ଅଁଇଠା ବାସନ ବେଶୀ ବେଳ ଯାଏ ପଡି ରହୁଥିଲା, କି ପିଲାମାନେ ବେଶୀ ପାଟି କରୁଥିଲେ ତାହେଲେ ବିରକ୍ତ ହେଉଥିଲେ | ହେଲେ ସେତେବେଳେ ଅଜାଂକ ଦେହ ଭଲ ରହୁ ନଥିଲା | ତାଂକ ଦେହ ଭଲ ଥିଲାବେଳେ, ଅଜା ଗାଧୋଇ ସାରିଲା ପରେ ସବୁ ଛୁଆଂକ କପାଳ ରେ ଚଂଦନ ଟୀକା ମାରୁଥିଲେ | କଟକ କୁ ସାଇକେଲ ରେ ବୋହିକି ଅରୁଆ ଚାଉଳ ବସ୍ତା, ଆମ୍ବ, ପାଚିଲା ଅମୃତଭଂଡା, କଖାରୁ  ଡଂକ ( ମୋ ବୋଉର ପ୍ରିୟ ), ନେଇକି ଆସୁଥିଲେ |


ଅଜା, ମା'ମା' ଆଉ ରାଜା


              ଅଜାଂକ ବିଷୟ ରେ ଯେତିକି ଜାଣିଛି, ଜୋର ଦେଇ କହି ପାରିବି, ସେ ସାହସୀ, ସ୍ଵାଭିମାନୀ ହେବା ସହିତ ଅସାଧାରଣ ଦୂରଦୃଷ୍ଟିର ଅଧିକାରୀ ଥିଲେ | ସେତେବେଳେ ସେ ପାଠର ଗୁରୁତ୍ଵ ସମାଜ ଗଠନରେ ଆଉ ମଣିଷ ଜୀବନ ରେ ବୁଝିଥିଲେ | ଯେତେବେଳେ  ଖଂଜାରେ ଅନ୍ଯ଼ମାନେ ନିଜ ପୁଅ ମାନଂକୁ ବିଲର ଖଟଉଥିଲେ, ଅଜା ମୋ ସବୁ ମାମୁଁ ଆଉ ବୋଉ କୁ ପାଠ ପଢେଇଥିଲେ| ଅଜାଂକ ମୁହଁରୁ ଶୁଣିଛି, ସେ ବରଗାଡିଅ ପାଖରେ ଛୋଟ ଘର ଟିଏ କରି ପିଲାଂକୁ ପାଠ ପଢଉଥିଲେ, ଗାଁକୁ ରାସ୍ତା କରିବାରେ ସାହାଯ୍ଯ଼ କରିଥିଲେ | ଶୈଳବାଳା କଲେଜରେ  ପଢେଇବା ପାଇଁ ବୋଉକୁ କଟକ ନେଇକି ବି ଆସିଥିଲେ | ପାଖରେ ଟଂକା ପଇସା କିଛି ନଥିଲା, ପକେଟ ରେ ଗୋଟେ ମୁଦି ଥିଲା ବୋଧେ | ହେଲେ ସେତେବେଳେ ଶୈଳବାଳା ରେ ହଷ୍ଟେଲ ନ ଥିଲା କି କଟକ ରେ ଆମର କେହି ବଂଧୁବାଂଧବ ନଥିଲେ | ବୋଉ କଲେଜରେ ତ ପଢିପାରିଲାନି, ହେଲେ ଅଜା ଚେଷ୍ଟା  କରିଥିଲେ | ଅଜା ନବମ ଯାଏ ପାଠ ପଢିଥିଲେ, କମ୍ ଦରମା ବୋଲି ତାଂକ ବାପାଂକ କଥା ମାନି ଚାକିରୀକୁ ମନା କରିଦେଇଥିଲେ | ଅଜା ତାଂକ ବୟସ ଥିବାବେଳେ ସୁନ ବୋତାମ ଦିଆ ପଂଜାବୀ ପିଂଧୁଥିଲେ,  ଗାଁରେ ପ୍ରଥମ ସାଇକେଲ୍ ସେ ହିଁ ଚଢିଥିଲେ | ଅଜାଂକ ପାଖରେ ଏମିତି ତିନି ଚାରିଟା କାହାଣୀ ଥିଲା, ହେଲେ ସବୁଥର ମୁଁ ପଚାରେ, ସବୁଥର ଅଜା ଆଗ ଥର ଠାରୁ ଅଧିକ ବିସ୍ତାରରେ କୁହନ୍ତି | ଥରେ ତ ମୁଁ  ଅଜାଂକୁ ପ୍ରଶ୍ନୋତ୍ତୋର ଶୈଳୀରେ ସବୁ ପଚାରିଥିଲି, ବହୁତ କମ୍ ସମୟରେ ଦଶ ବାର ଜଣ ଦର୍ଶକ ବି ଏକାଠି ହେଇ ଯାଇଥିଲେ | ଖୁବ ଜୋର ରେ ସମସ୍ତେ ହସିଥିଲେ, ଯେତେବେଳେ କହିଥିଲି, " ଆମ ଗହଣରେ ଅଛନ୍ତି ଶ୍ରୀଯୁକ୍ତ ଦୁଃଶାସନ ବେହୁରା, ବାର୍ତ୍ତାଳାପ ଜାରି ରଖିବା, ହେଲେ ଗୋଟେ ଛୋଟ ବିଜ୍ଞାପନ ବିରତି ପରେ |"

            ପ୍ରଥମ ନାତି ହିସାବରେ ଅଜାଂକ ସ୍ନେହରୁ ବହୁତ ପାଇଛି | ଅଜାଂକ କାଂଧ ଉପରେ ବସି ଚଂଚଳି ଦିଦି ବାହାଘର ଭୋଜି ଖାଇବାକୁ ଯାଇଥିଲି | ହଁ ମନେପଡିଲା, ସବୁ ବର୍ଷ ଦୋଳରେ ମେଲଣ ପଡିଆରେ ଯାତ୍ରା ହୁଏ | ମୋତେ ଚାରି ବର୍ଷର ହେଇଥିବା ବେଳର ଦୋଳ ଯାତ୍ରା କଥା ବୋଧେ | ବୋଉ ଆଉ ଖଂଜାର କିଛି ମାଈଁମାନେ ଯାତ୍ରା ଦେଖି ଯାଇଥିଲେ | ମୁଁ ଘରେ ଶୋଇଥିଲି, ବଡ଼ି ଭୋରୁ ମୋ ନିଦ ଭାଂଗିଗଲା | ମୁଁ ଯିବାକୁ କହିବାରୁ ଅଜା କାଂଧରେ ବସେଇକି ଯାତ୍ରା ପଡିଆକୁ ଗଲେ | ନାଟକ ଆଉ କୋଡିଏ ମିନିଟ୍ ପାଖାପାଖି ବାକିଥିଲା | ଫେରିଲା ବାଟରେ ମୁଁ ଅଜାଂକୁ ସବୁ ଚରିତ୍ରର ନାଁ ଆଉ ଆଗରୁ ଘଟିଥିବା କାହାଣୀ କହୁଥିଲି | ଅଜା ଘରକୁ ଫେରିଲା ପରେ, ପୁରା ରାତି ନାଟକ ଦେଖିଥିବା ଲୋକଂକୁ କାହାଣୀ ପଚାରି ବୁଝିଲେ | ଦେହ ଭଲଥିବା ଯାଏଁ ବହୁତ ଥର ସେ କଥା ମନେ ପକାନ୍ତି | ଛୋଟ ବେଳୁ ମୋର ସ୍ମରଣଶକ୍ତି ପ୍ରଖର ଥିଲା ବୋଲି କହୁଥିଲେ | ବହୁତ ଗର୍ବ ଅନୁଭବ କରୁଥିଲି ମୁଁ ସେତେବେଳେ |

             ଅଜାଂକ ନାଁ  ମୋତେ ଜମା ଭଲ ଲାଗୁ ନଥିଲା, ଦୁଃଶାସନ କିଏ ଦେଲା କେଜାଣି ? ସାହସୀ, ସତ୍ଯ଼ବାଦୀ, ସ୍ଵାଭିମାନୀ--- ମହାଭାରତରୁ ତ ଗୋଟିଏ ଚରିତ୍ର ମୋର ମନେ ପଡେ, ମୋ ପାଇଁ ମୋ ଅଜା ଭୀଷ୍ମ ଥିଲେ |

4 comments:

  1. it was d best of lot pinaki..I truly admire it...u plz keep going dis dimension f ur writing ..am forecasting huge potential in ur writing ability...would love to c if u can divert more time to dis .....fabulous ...from satya

    ReplyDelete
  2. Please continue your amazing writing ! Through your prose, we odiyas get to revist our villages from the comforts of our house

    ReplyDelete
    Replies
    1. Thanks Preeti. I did not notice your comment earlier. I will try to write in Odia more often.

      Delete

The heart is a lonely hunter by Carson McCullers

Wonderful assembly of characters. Though nothing much really happens in the novel, I liked it very much because the author seemed like a sil...